April 5, 2025

Flash Odisha

Breaking News Around Odisha To World

ମନ୍ଦିର ଦର୍ଶନରେ ପର୍ଯ୍ୟଟନର ବିକାଶ

Spread the love

ପର୍ଯ୍ୟଟନ ଏକ ପ୍ରାଣବାନ୍ ପ୍ରକ୍ରିୟା । ଘେରାଏ ବୁଲି ଆସିବା ପରେ ମଣିଷର ନିଶ୍ଚେତ ମନ ସତେଜ ହୋଇଯାଏ । ମନକୁ ଅନେକ ନୂଆ ନୂଆ ବିଚାର ଆସିଥାଏ । ମଣିଷ ଅପେକ୍ଷାକୃତ ସୁସ୍ଥ ଓ ଚଳଚଞ୍ଚଳ ହୋଇଉଠେ । ହୁଏତ ମନୁଷ୍ୟର ଏଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ଆଧ୍ୟାତ୍ମ୍ୟର କେନ୍ଦ୍ର ସହ ପର୍ଯ୍ୟଟନର କେନ୍ଦ୍ର ରୂପେ ମନ୍ଦିର ଗୁଡ଼ିକ ଗଢ଼ି ଉଠିଛି । ଏହା ଭିତରେ ମନ୍ଦିର ମାଳିନୀ ନଗରୀ ଭୁବନେଶ୍ୱର ଆମ ଓଡ଼ିଶାର ରାଜଧାନୀ । ଅନେକ ଦିନରୁ ମହାନଗର ହୋଇ ସ୍ମାର୍ଟ ସିଟି ତାଲିକାରେ ଏକ ସମ୍ମାନଜନକ ସ୍ଥାନରେ ରହିଛି । କିନ୍ତୁ ଏହାକୁ ଆମେ ମନ୍ଦିର ଓ ଉତ୍ସବର ଏକ ନଗରୀ ରୂପେ ଜାଣୁ । ଭାରତର ଅନ୍ୟ ରାଜଧାନୀ ମାନଙ୍କ ଅପେକ୍ଷା ଅଧିକ ଶାନ୍ତ ଏବଂ ସରଳ ସହର ଭାବରେ ପରିଚିତ । କ୍ଵଚିତ କାଁ ଭାଁ ଅଘଟଣ ଛାଡ଼ିଦେଲେ ଏଠାରେ ପ୍ରାୟତଃ ଦଙ୍ଗା ହଙ୍ଗାମା ଶୁଣିବାକୁ ମିଳେ ନାହିଁ । ଏଣୁ ପର୍ଯ୍ୟଟନ ଶିଳ୍ପ ପାଇଁ ଏହା ଏକ ଉତ୍ତମ କ୍ଷେତ୍ର ଏକାମ୍ର କ୍ଷେତ୍ର ଭାବରେ ପରିଚିତ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହାର ମୁଖ୍ୟ ଆକର୍ଷଣ ମନ୍ଦିର ଉପରେ ସେଭଳି କୌଣସି ଆଖିଦୃଶିଆ ଧ୍ୟାନ ଦିଆ ଯାଇ ନାହିଁ ଯାହା ଫଳରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ସେଭଳି କୌଣସି ପଦଚିହ୍ନ ଛାଡ଼ି ପାରିନି । ଏଠାରେ ଧ୍ୟାନ ଦେବା ଯୋଗ୍ୟ ଯେ ପର୍ଯ୍ୟଟନ ଶିଳ୍ପ ସହ ମନ୍ଦିରର ଅବସ୍ଥିତି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ବିଶେଷ କରି ଓଡ଼ିଶାରେ । ୪୮୦ କିଲୋ ମିଟର ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବେଳାଭୂମି ଥିଲେ ମଧ୍ୟ ଭିଡ଼ ଜମେ ପୁରୀ ଓ କୋଣାର୍କ ବେଳାଭୂମିରେ କେବଳ ଐତିହ୍ୟପୂର୍ଣ୍ଣ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିର ପାଇଁ । ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ ବଣ ଜଙ୍ଗଲ ଥିଲେ ମଧ୍ୟ ଭିଡ଼ ଜମେ ଯେଉଁଠି ଜଙ୍ଗଲୀ ମହାବୀର ହନୁମାନଙ୍କ ମନ୍ଦିରଟିଏ ରହିଛି କିମ୍ଵା ବନଜାବାସିନୀ ମାଆ ଦୁର୍ଗାଙ୍କ ଶକ୍ତିପୀଠ ରହିଛି । ତେବେ ଏହି ପୀଠସ୍ଥଳୀଗୁଡ଼ିକୁ ଯଦି ସୁବ୍ୟବସ୍ଥିତ ଢଙ୍ଗରେ ପ୍ରବନ୍ଧିତ କରାଯାଇ ପାରନ୍ତା ତେବେ ଓଡ଼ିଶା ବିଶ୍ବରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ପାଇପାରନ୍ତା ।
ଏଠାରେ ସୂଚନାଯୋଗ୍ୟ ଯେ ମନ୍ଦିର ଗୁଡ଼ିକ ଆମ ସଂସ୍କୃତିର ପ୍ରାଣକେନ୍ଦ୍ର ଏବଂ ଏହା ଆମ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଏଥି ପ୍ରତି ଧ୍ୟାନ ଦିଆ ଯାଇପାରି ନାହିଁ। ମନ୍ଦିର ମାନେ ନୁହେଁ କେବଳ ମୂର୍ତ୍ତି ବା ବିଗ୍ରହ ପୂଜା । ମନ୍ଦିର ସହିତ ଯୋଡ଼ି ହୋଇ ରହିଛି ଆମ ରାଜ୍ୟର ସମୃଦ୍ଧ ଐତିହ୍ୟ ଓ ପରମ୍ପରା। ମନ୍ଦିର ସହ ଯୋଡ଼ି ହୋଇ ରହିଛି ଆମ ସଂସ୍କୃତିର ପ୍ରତୀକ ଓଡ଼ିଆ ମହାରଣା କୂଳର ନିହାଣ ମୁନରେ ଅଙ୍କିତ କଳା ଓ ଭାସ୍କର୍ଯ୍ୟ । ଏଣୁ ମନ୍ଦିର ଗୁଡ଼ିକ ଯେତେ ପ୍ରାଣବାନ୍ କରାଯାଇ ପାରିବ ଏବଂ ଚଳଚଞ୍ଚଳ କରାଯାଇ ପାରିବ ଆମର ସଂସ୍କୃତି , ସମୃଦ୍ଧ କଳା ଓ ଐତିହ୍ୟର ସେତେ ଅଧିକ ପ୍ରଚାର ପ୍ରସାର ହେବ । ମନ୍ଦିର ସହ ବେଦ ଅଧ୍ୟୟନ କେନ୍ଦ୍ର, ଧ୍ୟାନ କେନ୍ଦ୍ର, ଯଜ୍ଞ ମଣ୍ଡପ, ଶକ୍ତି ସାଧନା କେନ୍ଦ୍ର, ଗୋଶାଳା, ଭୋଜନଶାଳା, ସତ୍ ସାହିତ୍ୟ କେନ୍ଦ୍ର ଆଦି ଯୋଡ଼ି ହୋଇ ରହିଲେ ମନ୍ଦିର ଗୁଡ଼ିକ ଜନସାଧାରଣଙ୍କ ଆସ୍ଥାର କେନ୍ଦ୍ର ହେବା ସହ ଚଳଚଞ୍ଚଳ ହୋଇଉଠିବ । ଏହା ସହିତ ଓଡ଼ିଶାର ଜନଜୀବନ ମଧ୍ୟ ଚଳଚଞ୍ଚଳ ହୋଇଉଠିବ । ଆମ ସଂସ୍କୃତି ଅନେକ ପ୍ରକାର ଉତ୍ସବର ସଂସ୍କୃତି । ଆବଶ୍ୟକ ରହିଛି ଏହାକୁ ସୁରକ୍ଷା ଦେବା ସହ ଏହାର ପ୍ରଚାର ପ୍ରସାର କରାଇବା । ଯେମିତି ରଥଯାତ୍ରା ଦେଖିବା ପାଇଁ ସାରା ବିଶ୍ବରୁ ପର୍ଯ୍ୟଟକ ଜଗନ୍ନାଥ ଧାମ ପୁରୀ ଅଭିମୁଖେ ଦୌଡ଼ି ଆସନ୍ତି ଠିକ୍ ସେମିତି ଆମର ଅନ୍ୟ ଉତ୍ସବ ଗୁଡ଼ିକ ସେତିକି ଆକର୍ଷଣୀୟ ଓ ସାଂସ୍କୃତିକ ହେବା ଆବଶ୍ୟକ ଯାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରି ପାରିବ ଏବଂ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ପାରିବ । ଏଣୁ ସରକାର ଏ ଦିଗରେ ସକାରାତ୍ମକ ଦୃଷ୍ଟିକୋଣ ନେଇ ପଦକ୍ଷେପ ନେଲେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ସହ ଓଡ଼ିଶାର ସଂସ୍କୃତି ଦିଗନ୍ତ ବିସ୍ତାରୀ ହେବ ।

ଦୀନବନ୍ଧୁ ଷଡ଼ଙ୍ଗୀ, ପୂର୍ବ ନୌସୈନିକ, ଭୁବନେଶ୍ୱର
ମୋ : 7978716879