ଗରିବୀ ବେରୋଜଗାରୀ ଦାଦନମୁକ୍ତ ଭାରତ/ ଓଡ଼ିଶା : ପରିଚାଳନା କମିଟି

ଭାଗ ଦୁଇରେ ଆମେ ଆଲୋଚନା କରିଥିଲୁ ପ୍ରମୋଟର (ଉଦ୍ୟକ୍ତା) ଙ୍କ କାର୍ଯ୍ୟ ସମ୍ବଦ୍ଧରେ । ଏବେ ଆଲୋଚନା କରିବା କିପରି କେଉଁଭଳି ପରିଚାଳନା କମିଟି ଗଠନ ହେଲେ ଗୋଟିଏ ପଂଚାୟତରୁ ଗରିବୀ ଦୂର ହୋଇପାରିବ । ଏହି ମର୍ମରେ ସଂକ୍ଷେପରେ କହିଲେ ଗଣତାନ୍ତ୍ରୀକ ଦେଶ ଓ ପ୍ରଦେଶରେ କିପରି କାର୍ଯ୍ୟସମୂହ ପରିଚାଳିତ ହୁଏ । ଗୋଟିଏ ପ୍ରଦେଶରେ, ରାଜ୍ୟସ୍ତରରେ ନୀତିନିର୍ଧାରଣ କରନ୍ତି, ରାଜ୍ୟ ମୁଖ୍ୟ ଓ ତାଙ୍କର ସହଯୋଗୀ କ୍ୟାବିନେଟ ମନ୍ତ୍ରୀ ଓ ସେକ୍ରେଟାରୀମାନେ । ଜିଲ୍ଲାସ୍ତରରେ କଲେକ୍ଟଟର ଓ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଓ ତଳସ୍ତରରେ ବ୍ଲକ୍/ ତହସିଲ/ଥାନା ଠାରୁ ଆରମ୍ଭ କରି ଗୋଟିଏ ପଂଚାୟତର ସରପଂଚ/ଜିଲ୍ଲା ପରିଷଦ ସଭ୍ୟ/ ଓ୍ବାର୍ଡ ମେମ୍ବରମାନେ କାର୍ଯ୍ୟ କରିଥାନ୍ତି । ତେଣୁ ନୀତିଗତ ଭାବେ ଅତ୍ୟନ୍ତ ତ୍ରିସ୍ତରୀୟ ପରିଚାଳନା କମିଟି କଥିତ ବିଷୟବସ୍ତୁ ପାଇଁ ଗଠନ କରାଗଲେ ବେଶ ଲାଭଦାୟକ ହେବ । ଯେପରିକି ଆବିଷ୍କୃତ ନୂଆ ମଡେଲଟିକୁ ସୂଚାରୁରୂପେ କାର୍ଯ୍ୟକାରୀ/ ଗତିଶୀଳ ହୋଇପାରିବ ।
ଯେହେତୁ ସବୁ ନୀତିନିୟମ ମାନ ରାଜ୍ୟସ୍ତରରେ ବିଧାନସଭା, ମନ୍ତ୍ରୀଗଣ ଓ ତାଙ୍କୁ ସହାୟତା କରିବାକୁ ବିଭାଗୀୟ ମୁଖ୍ୟ ସେକ୍ରେଟାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରନ୍ତି, ତେଣୁ ରାଜ୍ୟସ୍ତରୀୟ କମିଟି/ସବ କମିଟି ଗଠନ କରାଯିବା ଉଚିତ ହେବ । ଧରନ୍ତୁ ଗୋଟିଏ ଗାଁରେ ମତ୍ସ୍ୟଚାଷ ଓ ନାଲି ଇଟା ପକାଇବା ମୁଖ୍ୟ କାର୍ଯ୍ୟକ୍ରମ ହେବ । ସେଠାରେ ବିଭାଗୀୟ ମୁଖ୍ୟ ହେବେ ସଂପୃକ୍ତ ମନ୍ତ୍ରୀ ଓ ସେକ୍ରେଟାରୀମାନେ । ଏଣୁ ମାଛ ଚାଷ ଓ ଇଟା କାର୍ଯ୍ୟକ୍ରମ ପାଇଁ ମତ୍ସ୍ୟ ଓ ପ୍ରାଣୀଧନ ମନ୍ତ୍ରୀ ଓ ସେକ୍ରେଟାରୀ, ମୁଖ୍ୟ ବିଭାଗୀୟ କମିଟି ସବ୍ କମିଟିର ମୁଖ୍ୟ ହେବେ । ଏଥିରେ ଜଳ ସଂପଦ ବିଭାଗ ଓ ଅନ୍ୟମାନଙ୍କ ମଧ୍ୟରେ ଏମଏସଏମଇ , ରାଜସ୍ବ, ଶିଳ୍ପ , ପଂଚାୟତରାଜ ଓ ଗ୍ରାମ ବିକାଶ ବିଭାଗୀୟ ମନ୍ତ୍ରୀ ଓ ସେକ୍ରେଟାରୀଗଣ ସଦସ୍ୟ ରହିବା ଠିକ ହେବ । ନୀତି ନିର୍ଧାରଣ ପାଇଁ କମିଟିରେ ଏମାନଙ୍କ ସଦସ୍ୟତା ରହିବା ଜରୁରୀ ମନେହୁଏ । ଏଠାରେ ଉପଯୁକ୍ତ ଅଧିକାରୀ ଅଧିକାର ଥିବା ପ୍ରମୋଟର –ସଂସ୍ଥା ବା ବ୍ୟକ୍ତି ସଂଯୋଜକ ସଦସ୍ୟ ରହିବା ଅତ୍ୟନ୍ତ ଜରୁରୀ ଅଟେ ।
ସେହିଭଳି, ଜିଲ୍ଲାସ୍ତରରେ ସଂପୃକ୍ତ ଜିଲ୍ଲାପାଳ ଓ ଆବଶ୍ୟକୀୟ ବିଭାଗୀୟ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନେ ସଦସ୍ୟ ରହିବା ମନେହୁଏ । ଏଥିରେ ପଂଚାୟତ ଓ ବ୍ଲକ୍ /ତହସିଲ ଓ ଜିଲ୍ଲାର ମୁଖ୍ୟ ଆଇନ ଶୃଖଂଳା ରକ୍ଷା କରୁଥିବା କର୍ମଚାରୀ ଯଥା ଏସପି ସଦସ୍ୟ ରହିବା ଦରକାର । ତଳସ୍ତରରେ, ମାନେ ପଂଚାୟତସ୍ତରୀୟ କମିଟି ଗଠନ ହେବା ଉଚିତ ହେବ । ଏହି କମିଟିରେ ସରକାରଙ୍କୁ ରିପ୍ରେଜିଣ୍ଟ କରୁଥିବା ଅଧିକାରୀ ଯଥା-ତହସିଲ , ବ୍ଲକ୍ , ଥାନା ଆଦିର ମୁଖ୍ୟ ସଦସ୍ୟ ରହିବା ଉଚିତ ହେବ । କାରଣ ପ୍ରକଳ୍ପର ପ୍ରୋଜେକ୍ଟ ରିପୋର୍ଟ ତିଆରି ବେଳଠୁ ଏହାକୁ ଅତି କମରେ ତିନି ବର୍ଷ ପାଇଁ ପରିଚାଳନା କରିବାରେ ଉକ୍ତ ତହସିଲ ଆଦି ମାନଙ୍କର ସଂଯୋଗ କାର୍ଯ୍ୟକ୍ରମଟିକୁ ସଫଳ କରିବା ନିର୍ଭର କରୁଛି ।
ଏସବୁ ସତ୍ବେ କାର୍ଯ୍ୟକ୍ରମଟିକୁ ଜାଣି ନଥିବା ବୁଝିନଥିବା ଅଧିକାରୀମାନେ କିପରି ଏହାକୁ ଗତିଶୀଳ କରିପାରିବେ । ଗରିବୀ- ବେରୋଜଗାରୀ – କାର୍ଯ୍ୟକ୍ରମଟିକୁ ସଫଳ ରୂପ ଦେବା ପାଇଁ ପ୍ରମୋଟରଙ୍କ ଏକ 11ରୁ 13 ଜଣିଆ କ୍ରିୟାନୁଷ୍ଠାନ କମିଟି ରହିବା ଦରକାର । ଯାହା କଥିତ କାର୍ଯ୍ୟକ୍ରମଟିର ଲୋକଙ୍କ ହିତରେ ପ୍ରୟୋଗ କରିବା ପାଇଁ ଏକ ଟ୍ରଷ୍ଟ, ଜେମ୍ ଟ୍ରଷ୍ଟ, ଭୁବନେଶ୍ବର, ଦୀର୍ଘ ଦିନ ହେଲା ପ୍ରସ୍ତୁତ କରି ରଖାଯାଇଛି । ଅନ୍ୟଥା ଲୋକପ୍ରିୟ ସରକାରଙ୍କର ନୀତି /ନିୟମମାନଙ୍କୁ କାର୍ଯ୍ୟକାରୀ କରିବା ପାଇଁ ସମୟ ଅଣ୍ଟୁନଥିବା ସରକାରୀ ଦପ୍ତରମାନ କିପରି ପାଇଲଟ ପ୍ରୋଜେକ୍ଟ ଟିକୁ ପଂଚାୟତସ୍ତରରେ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ସଂଭବ ହେବନାହିଁ । ଏଣୁ ବିଭିନ୍ନ କ୍ଷେତ୍ରରେ ଅନୁଭବି ସ୍ବେଚ୍ଛାସେବୀ ରହିବା ଠିକ ହେବ । ଏଥିରେ ଟ୍ରଷ୍ଟର ମୁଖ୍ୟ ଓ ସାମାଜିକ /ଅର୍ଥନୈତିକ /ଶିଳ୍ପ ସଂବଧୀୟ ଅଭିଜ୍ଞ ଅବସରପ୍ରାପ୍ତ ବ୍ୟକ୍ତି ବିଶେଷ ଆଦି ରହିବା ଉଚିତ ହେବ । ସେହିପରି ସ୍ଥାନୀୟ ଅଂଚଳର ଶିକ୍ଷାବିତ୍, ବରିଷ୍ଠ ଓ ଜ୍ୟଷ୍ଠ ନାଗରିକ ଦୁଇ/ତିନି ଜଣ ନିମନ୍ତ୍ରିତ ସଦସ୍ୟ ଏଥିରେ ରହିଲେ ଉପଯୁକ୍ତ ମାର୍ଗଦର୍ଶନ କରିପାରିବେ । ସେଭଳି ବ୍ୟକ୍ତି ରହିବା ଗବେଷଣାଧର୍ମୀ କାର୍ଯ୍ୟକ୍ରମଟିକୁ ପରିଚାଳନାରେ ସହାୟତ୍ତା କରିପାରିବେ ।
ସେହି କ୍ରମରେ ଗଣତାନ୍ତ୍ରୀକ ମୁଖ୍ୟ ଚାହିଁଲେ ଏ ସମସ୍ତ କାର୍ଯ୍ୟକୁ ଗୋଟିଏ ବ୍ୟକ୍ତି ବା ସଂସ୍ଥାଙ୍କୁ ସର୍ମପଣ କରିପାରନ୍ତି । ପାଇଲଟ ପ୍ରୋଜେକ୍ଟଟିକୁ ତାଙ୍କ ନିର୍ଦେଶ କ୍ରମେ 2025 ମସିହା ସୁଦ୍ଧା ଜାନୁୟାରୀ 1 ରେ ଆରମ୍ଭ କରାଯାଇପାରିବ । ପରେ ଅବଶ୍ୟ ମନ୍ତ୍ରୀ ଓ ଅନ୍ୟ ଜିଲ୍ଲାରେ ଜଣେ ଏମଏଲଏ, ଜିଲ୍ଲା ପାଇଁ ଗୋଟିଏ ପଂଚାୟତରେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିପାରିବେ । ଅତଏବ୍, ପ୍ରମୋଟରଙ୍କ ଇଚ୍ଛାଧୀନ ଗୋଟିଏକୁ ମିଶାଇଲେ ଗାଏ ମୋଟ 31 ଗୋଟି ପଂଚାୟତରେ ପାଇଲଟ ପ୍ରୋଜେକ୍ଟଟିକୁ ଆରମ୍ଭ କରିବାର ନିର୍ଦେଶ /ଆଦେଶ ଅବଶ୍ୟ ଦିଅନ୍ତୁ । ଗୋଟିଏ ବର୍ଷରେ ତିନି/ଚାରିଟି ସମୀକ୍ଷା ବୈଠକ ବସୁ । ସମୟକ୍ରମେ,ଆଉ ସବୁଙ୍କୁ ସୁଯୋଗ ମିଳିବ ଓ ଗରିବୀ –ବେରୋଜଗାରୀ- ଦାଦନମୁକ୍ତ ପଂଚାୟତ ଅବଶ୍ୟ ନିର୍ଦ୍ଦିଷ୍ଟ ଭୈାଗୋଳିକ ପରିସୀମାରେ ଗଠନ ହୋଇପାରିବ । ସବୁଥରକ ଭଳି ଏଥରକ ମଧ୍ୟ ଲେଖକ ଉପଯୁକ୍ତ ସମୟକୁ ଅପେକ୍ଷା କରୁଛନ୍ତି ଆରଥରକୁ, ଆଗାମୀ ଦିନରେ ଗରିବୀ କଣ ଓ ତାହା କିପରି ଏମଏସଏମଇର ମିଡିୟମ ଇଣ୍ଟରପ୍ରାଇଜେସ ପ୍ରତିଷ୍ଠା ଦ୍ବାରା କିପରି ଦୂର ହୋଇପାରିବ ତାହା ଆଲୋଚନା କରିବା ।
ପ୍ର.ଡ.ଅଲେଖ ପାତ୍ର
94374 25810